ଘରେ ଅତି ସହଜରେ ବନାନ୍ତୁ ଚଟପଟା ଆଳୁ ଚାଟ

ଆବଶ୍ୟକ ସାମଗ୍ରୀ:
ଆଳୁ, ଗାଜର, ବିଟ, ଗୋଲମରିଚ, ଡାଲଚିନି,ପିଆଜ, ଲବଙ୍ଗ, ଅଦା, ରସୁଣ, ଟମାଟୋ, ଚାଟ ପାମ୍ପଡ଼, ଧନିଆପତ୍ର, ଦହି, ତେନ୍ତୁଳି, ଷେଓ, ଶୁଖିଲା ଲଙ୍କା, ଜୀରା, ପଞ୍ଚ ଫୁଟଣ(ଜୀରା, କଳା ଜୀରା,ସୋରିଷ, ମେଥି, ପାନମଧୁରି), ହଳଦୀ, ଲୁଣ, ବିଟ ଲୁଣ, ଚାଟ ମସଲା, କାଶ୍ମୀରି ଲଙ୍କାଗୁଣ୍ଡ,ଟମାଟୋ ସସ, ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆଳୁକୁ ଦୁଇଫାଳ କରି ଦିଅନ୍ତୁ । ଗୋଟେ ପିଆଜକୁ ସରୁ ସରୁ କାଟନ୍ତୁ । ଏବଂ ଆଉ ଗୋଟେ ପିଆଜକୁ ପୁରା ଛୋଟ ଛୋଟ କରି କାଟି ରଖନ୍ତୁ । ସେହିପରି ଏକ ଗାଜର ଓ ବିଟକୁ ପୁରା କଦୁକସ କରି ରଖନ୍ତୁ । ଆଉ ଗୋଟେ ବିଟକୁ ଛୋଟ ଛୋଟ ସାଇଜର କାଟି ରଖନ୍ତୁ । ଧନିଆପତ୍ର ଓ ଟମାଟୋକୁ ମଧ୍ୟ କାଟି ରଖନ୍ତୁ । ତାପରେ ଗ୍ୟାସ ଅନକରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ସେଥିରେ ପାଣି ଦିଅନ୍ତୁ । ସେଥିରେ ଫାଳ କରି ରଖିଥିବା ଆଳୁକୁ ପକାଇ ଏକ ଢ଼ାଙ୍କୁଣୀ ମାଧ୍ୟମରେ ଘୋଡ଼ାଇ ରଖନ୍ତୁ । ଏହିପରି କଲେ ଆଳୁ ଶୀଘ୍ର ସିଝିଯାଇଥାଏ । ଆଳୁ ସିଝି ଗଲାପରେ ଗ୍ୟାସ ଅଫକରି ଏକ ପାତ୍ରକୁ କାଢ଼ି ତାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଥଣ୍ଡା ହେବା ପରେ ଆଳୁରୁ ଚୋପା ଛଡ଼େଇ ତାକୁ ଚକଡ଼ନ୍ତୁ । ମନେରଖନ୍ତୁ ପୁରା ଚିକଣ କରି ଚକଡ଼ନ୍ତୁ ନାହିଁ । ତାପରେ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଟିକେ ଗରମ ହେବା ପରେ ସେଥିରେ ଆବଶ୍ୟକ ଅନୁଯାୟା ଶୁଖିଲା ଲଙ୍କା ଓ ଜୀରାପକାଇ ଭାଜନ୍ତୁ । ଜୀରା ଏବଂ ଲଙ୍କାର ରଙ୍ଗ ହାଲକା ବାଦାମୀ ହୋଇଗଲେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ପରେ ଗ୍ରାଇଣ୍ଡର ମାଧ୍ୟମରେ ଗୁଣ୍ଡ କରନ୍ତୁ । ଚାଟ ମସଲା ପ୍ରସ୍ତୁ ନିମନ୍ତେ ସେହିପରି କାଟି ରଖିଥିବା ସରୁ ସରୁ ପିଆଜ ଗୋଟେ ଇଞ୍ଚ ଅଦା, ୪-୫ଟା କୋଲା ରସୁଣ, ଗୋଲମରିଚ, ଡ଼ାଲଚିନି, ଲବଙ୍ଗକୁ ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ । ଦ୍ୱିତୀୟ ପର୍ଯ୍ୟାୟରେ ଗ୍ୟାସ ଅନକରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ପଞ୍ଚଫୁଟଣ ପକାନ୍ତୁ । ଫୁଟଣ ଫୁଟିଗଲାପରେ ସେଥିରେ ବାଟିକି ରଖିଥିବା ଚାଟ ମସଲାକୁ ପକାନ୍ତୁ । ଏବଂ ସେଥିରେ ଅଳ୍ପ ଲୁଣ, ହଳଦୀଗୁଣ୍ଡ, ପକାନ୍ତୁ । ଅଳ୍ପ ଆଞ୍ଚରେ ତାକୁ କଷନ୍ତୁ । ୩ରୁ ୪ମିନିଟ କଷିଲା ପରେ ମସଲାରୁ କଞ୍ଚା ଗନ୍ଧ ଏବଂ ତେଲ ବାହାରିଗଲା ପରେ ସେଥିରେ କାଟିକି ରଖିଥିବା ଟମାଟୋ ଏବଂ ଅଳ୍ପ ଟିକେ ଟମାଟୋ ସସକୁ ପକେଇ ଭଲ ସେ ଭାଜନ୍ତୁ । ମଝିରେ ମଝିରେ ପାଣି ଦେଇ କଷୁଥିବେ ନଚେତ ମସଲା ପ୍ୟାନରେ ଲାଗିଯାଇଥାଏ । ମସଲା ଭଲସେ କଷି ହୋଇଗଲା ପରେ ସେଥିରେ କାଟିକି ରଖିଥିବା ବିଟକୁ ପକାନ୍ତୁ । ବିଟ ପକାଇବା ଦ୍ୱାରା କୃତ୍ରିମ ଖାଇବା ରଙ୍ଗ ବ୍ୟବହାର କରିବାକୁ ପଡ଼ିନଥାଏ । ବିଟ ସିଝିବା ପାଇଁ ସେଥିରେ ଅଳ୍ପ ପାଣି ଦିଅନ୍ତୁ ଏବଂ ଏକ ଢ଼ାଙ୍କୁଣୀ ମାଧ୍ୟମରେ କିଛି ସମୟ ଘୋଡ଼େଇ ରଖନ୍ତୁ । ଅଳ୍ପ କିଛି ସମୟ ପରେ ଢ଼ାଙ୍କୁଣୀ କାଢ଼ି ଘାଣ୍ଟନ୍ତୁ । ବିଟ ସିଝିଗଲାପରେ ଚକଡ଼ିକି ରଖିଥିବା ଆଳୁ , ଆବଶ୍ୟକ ଅନୁଯାୟୀ ଲୁଣ ଓ ଅଳ୍ପ ଟିକେ ପାଣି ପକାଇ ଘାଣ୍ଟନ୍ତୁ । ବେଶି ବହଳିଆ କି ବେଶି ପତଳା କରିବେ ନାହିଁ । ତାପରେ ଗ୍ୟାସ ଅଫ କରି ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ତାପରେ ଏକ ପ୍ଲେଟରେ ଆଳୁ ଚାଟ କାଢ଼ନ୍ତୁ । ତାଉପରେ ସଜାଇବା ପାଇଁ ଛୋଟ ଛୋଟ କାଟି ରଖିଥିବା ପିଆଜ, କଦୁକସ ଗାଜର ବିଟ, ଅଳ୍ପ ଦହି, ତେନ୍ତୁଳି ପାଣି, କଟା ଧନିଆ ପତ୍ର, ଚାଟ ମସଲା, ଗୁଣ୍ଡ ପାମ୍ପଡ଼, ଜୀରା ଲଙ୍କା ଗୁଣ୍ଡ, ଷେଓ ଛିଞ୍ଚି ପକାନ୍ତୁ । ତାପରେ ପରସନ୍ତୁ ଚଟପଟା ଆଳୁ ଚାଟ ।