ଲକଡାଉନରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ମେଥି ପନିର, ଜାଣନ୍ତୁ ପ୍ରଣାଳୀ

ପନିରକୁ ନେଇ ଆପଣମାନେ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଆଇଟମ ଖାଇଥିବେ ଏବଂ ମଧ୍ୟ ଜାଣିଥିବେ । ଆଜି ଆମେ ଏହି ପନିରକୁ ନେଇ ଆଉ ଏକ ସ୍ୱାଦିଷ୍ଟ ଆଇଟମ ଜଣେଇବୁ ଯାହାର ନାମ ମେଥି ପନିର । ଏହାକୁ ଆପଣମାନେ ଭାତରେ ଏବଂ ରୁଟି, ନାନରେ ଖାଇପାରିବେ ।
ଆବଶ୍ୟକ ସାମଗ୍ରୀ
ପନୀର, ମେଥି ଶାଗ, ଗରମ ମସଲା, ଅଦା, ରସୁଣ, ପିଆଜ, ହଳଦୀ ଗୁଣ୍ଡ, ଗୁଜୁରାତି, ଜିରା, ଦହି,ହେଙ୍ଗୁ, ଘିଅ, ଲଙ୍କା ଗୁଣ୍ଡ ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି ଶାଗକୁ ଭଲ ଭାବେ ଧୋଇଦିଅନ୍ତୁ । ତାପରେ ତାକୁ ଛୋଟ ଛୋଟ କାଟି ଏକ ପାତ୍ରରେ ରଖନ୍ତୁ । ପନୀରକୁ ମଧ୍ୟ ଚାରିକୋଣିଆ ଆକାରର ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଆବଶ୍ୟକ ଅନୁଯାୟୀ ପିଆଜ, ଅଦା, ରସୁଣକୁ ଗ୍ରାଇଣ୍ଡରରେ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ସେଥିରେ ଘିଅ ପକାନ୍ତୁ । ଘିଅ ତରଳିଲା ପରେ ସେଥିରେ ପନିରକୁ ପକେଇ ଭାଜନ୍ତୁ । ପନିର ଟିକେ ହାଲକା ବାଦାମୀ ରଙ୍ଗ ହୋଇଗଲାପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ସେହି ଗ୍ୟାସରେ ବସେଇଥିବା ପ୍ୟାନରେ ଆଉଥରେ ଘିଅ ପକାନ୍ତୁ । ଘିଅ ତରଳିଲା ପରେ ଜିରା, ଗୁଜୁରାତି ଏବଂ ହେଙ୍ଗୁ ପକାନ୍ତୁ । ସେସବୁ ଫୁଟିଗଲା ପରେ ସେଥିରେ ପିଆଜ, ଅଦା, ରସୁଣ ବଟା ପକାନ୍ତୁ । ଟିକେ ଭାଜିବା ପରେ ସେଥିରେ ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ କଷନ୍ତୁ । ମସଲାରୁ ଘିଅ ଅଲଗା ହୋଇଗଲେ ଏବଂ କଞ୍ଚା ବାସ୍ନା ଗଲା ପର୍ଯ୍ୟନ୍ତ ଭଲଭାବେ ଭାଜନ୍ତୁ ।ତାପରେ ଭଲଭାବେ କଷିହେଲାପରେ ସେଥିରେ ଦହି ପକାନ୍ତୁ । ଦହି ପକାଇବା ପରେ ଆଉ ଅଳ୍ପ ସମୟ କଷନ୍ତୁ । ତାପରେ ପନିର ଓ ମେଥିସାଗ ପକାଇ ଗୋଳାନ୍ତୁ । ଗୋଳାଇବା ପରେ ସେଥିରେ ପାଣି ପକାନ୍ତୁ । ପାଣି ଦେବା ପରେ ୧୦ରୁ ୧୫ମିନିଟ ଅଳ୍ପ ଆଞ୍ଚରେ ଫୁଟାନ୍ତୁ । ଏହା ଭଲଭାବେ ଫୁଟିଗଲାପରେ ଗରମ ମସଲା ପକାନ୍ତୁ । ଏବଂ ତାପରେ ୧ମିନିଟ ଛାଡ଼ି ଦିଅନ୍ତୁ । ୧ମିନିଟ ହେବା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ ମେଥି ପନିର ।