ରାଜ୍ୟରେ ଆଂଶିକ କୋହଳ ହେଲା ଲକଡାଉନ କଟକଣା

ଭୁବନେଶ୍ୱର, ୧୬/୬: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ସଂକ୍ରମଣ କମୁଛି।ଏହାରିମଧ୍ୟରେ ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ କଟକଣା କୋହଳ କରାଯାଇଛି।ଉକପୂଳ ଓ କେନ୍ଦ୍ରୀୟ ଓଡ଼ିଶାର ୧୩ ଜିଲ୍ଲାରେ କଟକଣା ସାମାନ୍ୟ କୋହଳ ହୋଇଛି।

୧୭ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍‌ଣ ୫ଟା ଯାଏ ଦୋକାନ ଖୋଲା ରହିବ। ସେହିପରି ୧୩ ଉପକୂଳ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ ଦୋକାନ। କ୍ଷୀର ବ୍ୟବସାୟୀଙ୍କ ସ୍ବାର୍ଥ ଦୃଷ୍ଟିରୁ  ସାରା ରାଜ୍ୟରେ ଖୋଲା ରହିବ ମିଠା ଦୋକାନ । ସେହିପରି ସ୍କୁଲ, ସପିଙ୍ଗ ମଲ୍‌ ଓ ସିନେମା ହଲ ପୂର୍ବଭଳି ବନ୍ଦ ରହିବ। ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେହିପରି ସପ୍ତାହନ୍ତ ସଟଡାଉନ ରହିବ।ଜୁଲାଇ ୧ ସକାଳ ୫ଟା ଯାଏ ବଳବତ୍ତର ରହିବ ଏହି ନୂଆ ଗାଇଡ୍‌ଲାଇନ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବା ଜିଲ୍ଲା ଗୁଡିକ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା।

ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଦୋକାନ ଖୋଲା ରହିବ।