ବିଦେଶକୁ ଯିବାକୁ ଥିବା ୮୩ଜଣଙ୍କ ଶିକ୍ଷାର୍ଥୀଙ୍କ ଭିତରୁ ଟିକା ନେଲେଣି ୧୯ଜଣ

ଭୁବନେଶ୍ୱର, ୧୩ା୬: ଦେଶରେ ଓ ଦେଶ ବାହାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର ଜାରି ରଖାଯାଇଛି । ଏହାସହ ସମସ୍ତ ବର୍ଗଙ୍କୁ କୋଭିଡ଼ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରାଯାଇଛି । ଯାହା ବିଦେଶକୁ ଯାଇ ଶିକ୍ଷା ଲାଭ କରିବାକୁୁ ଥିବା ଛାତ୍ରଛାତ୍ରୀମାନଙ୍କୁ ଟିକାକରଣ କରାଯିବ । ଏବେ ସୁଦ୍ଧା ବିଏମସି ପକ୍ଷରୁ ତାଲିକାଭୁ୍କ୍ତ କରାଯାଇଥିବା ୮୩ଜଣଙ୍କ ମଧ୍ୟରୁ ୧୯ଜଣ କୋଭିସିଲ୍ଡ ଟିକା ନେଇ ସାରିଛନ୍ତି । ଅନ୍ୟମାନେ ଆଉ ଦୁଇ ଦିନ ମଧ୍ୟରେ ଟିକା ନେବେ । ସେହିପରି ବିଦେଶରେ ବିଦ୍ୟାଧ୍ୟୟନ କରିବାକୁ ଯାଉଥିବା ଶିକ୍ଷାର୍ଥୀମାନେ ପ୍ରଥମେ ୧୯୨୯କୁ କଲ କରିବେ । ଏହାପରେ ସେମାନଙ୍କୁ ନିଜର ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ଆଣିବା ସହ ବିଦେଶରେ ପଢ଼ିବାର ନାମଲେଖା ପ୍ରମାଣ ପତ୍ର ଦେଖାଇ ଟିକା ନେଇପାରିବେ ।