ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଦେଲେ ଏସଏନ ମହାନ୍ତି ଗ୍ରୁପ ଅଧକ୍ଷ

ଭୁବନେଶ୍ୱର, ୨୮/୪: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଙ୍କୁ ମେ ୧ ରୁ ଟିକାକରଣ କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାରେ ଏହି ବର୍ଗର ଲୋକଙ୍କୁ ମାଗଣା ଟିକାକରଣ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ରାଜ୍ୟବାସୀଙ୍କ ପାଇଁ ଏହି ମାଗଣା ଟିକାକରଣରେ ସହଯୋଗ କରିବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଏସ ଏନ ମହାନ୍ତି ଖଣି ଏବଂ ଇସ୍ପାତ କମ୍ପାନୀ।

ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏସ.ଏନ୍ ମହାନ୍ତି ଖଣି ଏବଂ ଇସ୍ପାତ କମ୍ପାନୀ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଏବଂ ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି ୧କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ଅର୍ଥରାଶି ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ଚେକ୍ ଦେବା ପରେ କମ୍ପାନୀର ଅଧ୍ୟକ୍ଷ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ହେତୁ ଓଡ଼ିଶା ମହାମାରୀର ପ୍ରଭାବଶାଳୀ ପରିଚାଳନାରେ ଏକ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ସମୟାନୁବର୍ତ୍ତୀ ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ ଓଡ଼ିଶାକୁ କୋଭିଡ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ କରିପାରିଛି। ଲୋକମାନେ ସମ୍ପୂର୍ଣ୍ଣ ସହଯୋଗ କଲେ ଓଡିଶା ଏହି ମହମାରୀକୁ ହରାଇ ପାରିବ।

ଏହାପରେ ସହଯୋଗ ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ  ମୁଖ୍ୟ ଶାସନ ସଚିବ ସେମାନଙ୍କର କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ଘରେ ଥିବା ସମସ୍ତ କୋଭିଡ ମାନଦଣ୍ଡ ମାନିବାକୁ ଅନୁରୋଧ କରିଥିଲେ। ଉଭୟ ସରକାରୀ ତଥା ସାମାଜିକ ସ୍ତରରେ ସେମାନଙ୍କର ସଚେତନତା ସୃଷ୍ଟି ଏବଂ ସମ୍ବେଦନଶୀଳ କାର୍ଯ୍ୟକଳାପ ଜାରି ରଖିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ।