ଉତ୍କଳ ଦିବସରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୪: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଉଛି। ଏହି ଉତ୍କଳ ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ  ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଏହାସହ ଓଡ଼ିଶାର ନିରନ୍ତର ବିକାଶ ପାଇଁ ଶୁଭକାମନା କରିଛନ୍ତି।

ସେହିପରି ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା କରିଛନ୍ତି । ସେ କହିଛନ୍ତି ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ । ରାଜ୍ୟର ଜନ ସାଧାରଣଙ୍କର ସୁଖ ଓ ସମୃଦ୍ଧି  ସେ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି। ସେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି।