ଭୁବନେଶ୍ୱର,୧୮/୦୪: ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା । ଆସନ୍ତା ୨ ଘଣ୍ଟା ପାଇଁ ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨୨ ତାରିଖ ଯାଏଁ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ ।ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି , ଯାହା ପ୍ରଭାବରେ ବର୍ଷା ହେଉଛି ।
୨୪ ଘଣ୍ଟା ପାଇଁ ୨୫ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।