ନୂଆଦିଲ୍ଲୀ,୧୬/୦୪: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ଏକ ଟ୍ରେନ ମଧ୍ୟରେ ଏଟିଏମ ସେବା ଲଞ୍ଚ କରାଯାଇଛି। ମୁମ୍ବାଇରୁ ନାସିକ ମଧ୍ୟରେ ଯାତ୍ରା କରୁଥିବା ପଞ୍ଚବଟୀ ଏକ୍ସପ୍ରେସରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ପ୍ରଥମ ଥର ଏହାର ଟ୍ରାଏଲ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା କୁହାଯାଇଛି।
ରେଳବାଇର ଭୁସବଳ ଡିଭିଜନ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ପକ୍ଷରୁ ମିଳିତ ଭାବରେ ଏହି ମିଶନ ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ଟ୍ରାଏଲ ରନରେ ଏକ ଏସି ବଗିରେ ଏହି ଏଟିଏମକୁ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଏହାକୁ ସମସ୍ତ ବଗିରେ ସ୍ଥାପନ କରାଯିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏଟିଏମର ସୁରକ୍ଷା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନବାଚୀ ହୋଇଛି। ଏହା ସହିତ ଏହି କିଓସ୍କ ଏଟିଏମକୁ ୨୪ ଘଣ୍ଟା ଧରି ସିସିଟିଭି ଅଧୀନରେ ରଖାଯିବ। ଏହା ସଫଳ ହେଲେ ଏହାକୁ ସମସ୍ତ ବଗିରେ ଓ ଅନ୍ୟାନ୍ୟ ଟ୍ରେନରେ ମଧ୍ୟ ସ୍ଥାପନା କରାଯିବ ବୋଲି ଜଣାପଡିଛି। ଟ୍ରେନରେ ଚଢିବା ପୂର୍ବରୁ ଯଦି କୌଣସି କାରଣରୁ କେହି ବ୍ୟକ୍ତି ପଇସା ଉଠାଇ ପାରି ନାହାନ୍ତି ତେବେ ଏହା ସେମାନଙ୍କ ପାଇଁ ବ୍ୟବସ୍ଥା ହେବ। ପଇସା ଉଠାଇବା ସହିତ ଚେକବୁକ୍ ଅର୍ଡର କରିବା ଓ ଷ୍ଟେଟମେଣ୍ଟ ଗ୍ରହଣ କରିହେବ। ଭାରତୀୟ ରେଳବାଇର ଏଭଳି ବ୍ୟବସ୍ଥା ଯାତ୍ରୀ ମାନଙ୍କ ପାଇଁ ବେଶ ସହାୟକ ହେବ ।