ଭୁବନେଶ୍ୱର,୧୮/୦୩: ଆସନ୍ତାକାଲିଠୁ ଆରମ୍ଭ ହେବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫ । ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି, ତୋଷାଳି ମେଳା ହେବ ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ । ଆସନ୍ତାକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବେ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ନିମନ୍ତେ ଏହା ଏକ ବଜାର ଯୋଗାଇଦେବ । ସୂଚନାଯୋଗ୍ୟ, ଚଳିତବର୍ଷ ଏହି ମେଳାରେ ୬୫୦ ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି । ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ । ଏତଦବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭାରତ ତଥା ଓଡିଶା ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାମାନେ ବିଭିନ୍ନ ଷ୍ଟଲରେ ଦର୍ଶକମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଅବଗତ କରିବେ ।