ନୂଆଦିଲ୍ଲୀ,୧୫/୦୩: କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିବରାଲ ପାର୍ଟି ନେତା ମାର୍କ କାର୍ନି ଶପଥ ଗ୍ରହଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ସହ ଶୁଳ୍କ ଯୁଦ୍ଧ ଚାଲିଥିବା ବେଳେ ମାର୍କ କାର୍ନି ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଇସ୍ତଫା ଦେଇଥିବା ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନରେ କାର୍ନି ଦାୟିତ୍ୱ ଗ୍ରହଣ କରିଛନ୍ତି ।
ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ମୁଖ୍ୟ କାର୍ନି ଏବେ ଆମେରିକା ଓ ଭାରତ ସହ ସମ୍ପର୍କରେ ସୁଧାର ଆଣିବା ଏବଂ ଅର୍ଥନୈତିକ ସ୍ଥିରତା ସୁନିଶ୍ଚିତ କରିବା ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ଇସ୍ପାତ ଏବଂ ଆଲୁମିନିୟମ ଉପରେ ୨୫% ଶୁଳ୍କ ଲଗାଇଛନ୍ତି । ଏପ୍ରିଲ ୨ରୁ ଟ୍ରମ୍ପ କାନାଡାର ସମସ୍ତ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି । ଏପରିକି କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି ।