ରାଜ୍ୟର ଏହି ସବୁ ଜିଲ୍ଲାରେ ୪୦ ଡିଗ୍ରି ପାର କରିବ ତାପମାତ୍ରା

ଭୁବନେଶ୍ୱର, ୧୦/୦୩: ଡହଡହ ଖରାରେ ଶିଝିବ ପୁରା ଓଡ଼ିଶା । ଆଗାମୀ ୪ରୁ ୫ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଏନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୨ ମାର୍ଚ୍ଚ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଆଇଏମଡି ପୂର୍ବାନୁମାନ କରିଛି। ବିଶେଷକରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବାର ସମ୍ଭାବନା ରହିଛି । ରାତି ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିପାରେ। ତେଣୁ ଲୋକଙ୍କୁ ଖରା ସମୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି। ମାର୍ଚ୍ଚ ୧୫ରୁ ୧୮ ମଧ୍ୟରେ କାଳବୈଶାଖୀ ମେସୁମୀ ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଛୁଇଁବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ସେଲସିୟସ କିମ୍ବା ତାଠୁ ଅଧିକ ରେକର୍ଡ ହୋଇଛି । ଏସବୁ ଜିଲ୍ଲାରେ ଆଗାମୀ ୪ରୁ ୫ ଦିନ ଭିତରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବାର ଆଶଙ୍କା ରହିଛି । ସେହିପରି ରାତି ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧିର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *