ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ସେବିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୨୮/୦୨:ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ସେବି)ର ନୂଆ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି ।ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ । ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଧିକାରୀ ତୁହିନାକାନ୍ତ ପାଣ୍ଡେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସେ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଧ୍ୟ ଥିଲେ। ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ବ୍ରିଟେନ୍‌ର ବର୍ମିଙ୍ଗହାମ୍‌ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଶିକ୍ଷା ଗ୍ରହଣ କରିଥିବା ସେ ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଯୋଜନା କମିସନ ଓ କ୍ୟାବିନେଟ୍ ସେକ୍ରେଟାରିଏଟ୍‌ର ଯୁଗ୍ମ ସଚିବ ଓ ବାଣିଜ୍ୟ ମନ୍ତ୍ରଣାଳୟର ଉପସଚିବ ଭାବେ କାର୍ଯ୍ୟ କରିଛନ୍ତି ।