ନୂଆଦିଲ୍ଲୀ,୨୭/୦୨: ସୁଦାନରେ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ସୈନ୍ୟମାନଙ୍କୁ ନେଇ ଯାଉଥିବା ବିମାନଟି ଓମଡୁରମାନ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁର୍ଘଟଣାରେ ଅନେକ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ହେଲେ ଏହି ଦୁର୍ଘଟଣା ପଛର ମୁଖ୍ୟ କାରଣ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନା ଅନୁଯାୟୀ, ମଙ୍ଗଳବାର ୱାଡି ସୟଦନା ଏୟାରବେସରୁ ଉଡ଼ାଣ ଭରିବା ସମୟରେ ସେନାର ଆଣ୍ଟୋନୋଭ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଦାନରେ ୨୦୨୩ ମସିହାରୁ ଗୃହଯୁଦ୍ଧ ଜାରି ରହିଛି।