ଭୁବନେଶ୍ୱର,୨୨/୦୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ସୁଭଦ୍ରା ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଛି ଅନେକ ଯୋଜନା । କିଶୋରୀ ସୁଭଦ୍ରା ଯୋଜନା, ସୁଭଦ୍ରା ସଂଚୟ, ସୁଭଦ୍ରା ସଖୀ, ସୁଭଦ୍ରା ସଙ୍ଘ, କୁହ ସୁଭଦ୍ରା,ସୁଭଦ୍ରା କଲ ସେଣ୍ଟର ଓ ସୁଯୋଗ୍ୟ ସୁଭଦ୍ରା ଭଳି ଯୋଜନା ହେବ। ମୋହନ ମାଝୀ ଆହୁରି ମଧ୍ୟ କହିଛନ୍ତି ଆମ ଆଗରେ ବହୁ ଗରିବ ପରିବାର ଅଛନ୍ତି ଯେଉଁମାନେ ଝିଅ ବାହାଘର କରେଇବାରେ ଅକ୍ଷମ। ବିବାହ ପାଇଁ ଅର୍ଥ ସେମାନଙ୍କ ପାଇଁ ବାଧକ ହୋଇଥାଏ। ତେଣୁ ସେମାନଙ୍କ ବିବାହ କଷ୍ଟ ଦୂର କରିବା ପାଇଁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବ୍ୟବସ୍ଥା ରହିଛି। ବିବାହ ର ଆୟୋଜନ ଠାରୁ ଝିଅ ବିଦା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ରାଜ୍ୟ ସରକାର କରିବେ। ସୁଭଦ୍ରା ଶକ୍ତି ମେଳା ଉଦ୍ଘାଟନୀ ସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଜିଠୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’। ଜନତା ମଇଦାନରେ ମେଳାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଙ୍କ ସହ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଏକାମ୍ର ବିଧାୟକ ବାବୁ ସିଂ। ଆଜିଠୁ ଏହି ମେଳା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଜାରିରହିବ ।