ଆଜି ବିଶ୍ୱ କର୍କଟ ଦିବସ, ଭୟାବହତା ଓ ସଚେତନ କରାଇବା ଦିବସର ମୂଳ ଲକ୍ଷ୍ୟ

ଭୁବନେଶ୍ୱର,୪/୦୨: ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି । ଆମେରିକାର ଜଣେ ବିଶେଷଜ୍ଞ ବିଶ୍ୱବାସୀଙ୍କୁ ପୂର୍ବରୁ ସଚେତନ କରିବା ସହ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ କହିଥିଲେ । ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଉଛି । ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଥିବା ବିଶେଷଜ୍ଞ କହିଥିଲେ । ଭାରତୀୟ ଲୋକ ମାନେ ତମାଖୁ ଓ ସିଗାରେଟ ସେବନରେ ନିୟନ୍ତ୍ରଣ ରଖୁନାହାନ୍ତି । ତେଣୁ କର୍କଟ ବଢ଼ିବାରେ ଲାଗୁଛି । ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମ ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଅଟେ।