ନୂଆଦିଲ୍ଲୀ,୧/୦୨: ସଂସଦରେ ବହୁ ପ୍ରତୀକ୍ଷିତ ବଜେଟ୍ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ-୨୦୨୫ ଉପସ୍ଥାପନ କରିଥିଲେ। ଆଜି ମୋଦୀ ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସୁଛି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହୋଇଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ। ବଜେଟ୍ ଉପସ୍ଥାପିତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ। ଏହି ବଜେଟ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଥିଲେ। ଆଉ ଏବେ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିବା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ । ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ । ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଧନଧ୍ୟାନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ କେନ୍ଦ୍ର ସରକାର । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ । ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ ।