ଭୁବନେଶ୍ୱର,୫/୦୧: ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଉଛି ବିଜେପି କର୍ମୀ। ସେମାନେ ହେଉଛନ୍ତି ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।ସେମାନେ ବିଳମ୍ବିତ ରାତିରେ କାର ଯୋଗେ ଘରକୁ ଫେରୁଥିବା ବେଳେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା।ଘଟଣାସ୍ଥଳରେ ଦେବେନ୍ଦ୍ର ଓ ମୁରଲୀଧରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ହାଇୱାଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି।