ଭୁବନେଶ୍ୱର,୨୭/୧୨: ରାଜ୍ୟ ସରକାର ବଢ଼ାଇଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ତାଙ୍କ କାର୍ଯ୍ୟକାଳକୁ ଆଉ ବର୍ଷେ ବଢ଼ାଇ ଦେଇଛନ୍ତି। ଫଳରେ ୨୦୨୬ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା। ବିଜେପି ସରକାର ଗଠନ ପରେ ଜୁନ ୩୦ରେ ସରିଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ସେତେବେଳେ ଡେପୁଟେସନରୁ ଆସି ମୁଖ୍ୟ ସଚିବ ପଦରେ ବସିଥିଲେ ମନୋଜ ଆହୁଜା। ବିଶେଷ କରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଗୁଡ଼ିକୁ ପୂରଣ କରିବାରେ ବଡ଼ ଭୂମିକା ନିଭାଇଛନ୍ତି।
ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ରାଜ୍ୟରେ ବିଜେପି ସରକାର ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ତାଙ୍କ ଗୃହ କ୍ୟାଡରକୁ ଫେରିଯିବାକୁ ଅନୁମତି ଦେଇଥିଲେ। ଏହା ପରେ ସେ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍।