ଭୁବନେଶ୍ୱର,୨୧/୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ଲାଗି ରହିଛି ବର୍ଷା। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବନା ରହିଛି। ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ଲାଗି ରହିବ। ଆସନ୍ତା ୨ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଆଜି ସକାଳେ ଟ୍ୱିନ ସିଟି ସମେତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଅନ୍ୟପଟେ ଅଦିନିଆ ବର୍ଷାରେ ପାଚିଲା ଧାନ ନଷ୍ଟ ହୋଇଯିବା ଆଶଙ୍କାରେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ।