ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ: ଲଘୁଚାପ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୧୭/୧୨: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ହାଡ଼ଭଙ୍ଗା ଶୀତ । ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ। କିଛି ସ୍ଥାନରେ ତ ତୁଷାରପାତ ହେଲାଣି। ରାଜ୍ୟରେ ପ୍ରାୟ ସପ୍ତାହେ ଧରି ଜାରି ରହିଛି ଶୀତ ଲହରୀ।

କୋଇଡାର ଟେନସା, କାଲଟା, ମାଲଦା, କାଶୀରା ଭଳି ସ୍ଥାନରେ ତୁଷାରପାତ ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାହାଡିଆ ଅଂଚଳରେ ଶୀତର ପ୍ରକୋପ ସାଙ୍ଗକୁ ଘନ କୁହୁଡି ଲାଗି ରହୁଛି। ଦିନ ୧୦ ଯାଏ କିଛି ଦେଖାଯାଉନି। ଆଜି ପାଇଁ ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଏବଂ ସୁନ୍ଦରଗଡ ଜିଲ୍ଲାକୁ କୋଲ୍ଡ ୱେଭ ଆଲର୍ଟ ଜାରି ହୋଇଛି। ଏଥିସହ ଦୁଇ ଦିନ ଯାଏ ଘନ କୁହୁଡି ନେଇ ମଧ୍ୟ ଚେତାବନୀ ଦିଆଯାଇଛି। କୋରାପୁଟ ଓ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ତେବେ ଆଜିଠୁ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ, ତେବେ ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି।