ଭୁବନେଶ୍ୱର,୧୭/୧୨: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।ଏହି ସମୟରେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ ଉପସ୍ଥିତ ରହିବେ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ।ସମୟ ନିର୍ଘଣ୍ଟ ଅନୁଯାୟୀ, ଦ୍ୱିପ୍ରହର ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ପ୍ରତ୍ୟେହ ଦିନ ପ୍ରାୟ ସାଢ଼େ ୧୨ଟା କିମ୍ବା ଗୋଟାଏରୁ ମରାମତି କାମ ଆରମ୍ଭ ହେବ। ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ। ତେଣୁ ମରାମତି କାମ ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ରହିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।