ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ,୧୪/୧୨: ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଗତକାଲି ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ସତ୍ତ୍ୱେ ତାଙ୍କୁ ଜେଲରେ ରାତି କାଟିବାକୁ ପଡିଛି । ସକାଳେ ଜେଲ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା। ରାତିରେ ବେଲ ପେପର ଆସିବାରେ ବିଳମ୍ୱ ହେବାରୁ ସୁପର ଷ୍ଟାରଙ୍କୁ ଜେଲରେ ରହିବାକୁ ପଡିଥିବା ସୂଚନା ମିଳିଛି । ଅଲ୍ଲୁ ଅର୍ଜୁନଙ୍କୁ ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜ ପ୍ରିୟ ହିରୋଙ୍କୁ ସ୍ୱାଗତ କରିବା ପାଇଁ ଜେଲ ବାହାରେ ପ୍ରଶଂସକ ଭିଡ ଜମାଇଥିଲେ । ସ୍ଥିତିକୁ ଦେଖି ଜେଲ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଆଜି ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ମୁକ୍ତ ହୋଇଛନ୍ତି । ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ଚିକ୍କଡ଼ପଲ୍ଲୀ ଥାନା ପୁଲିସ ।

ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ହୋଇଥିବା ଦଳଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଶୁଣାଣି କରିଥିଲେ ନାମପଲ୍ଲୀ କୋର୍ଟ। ଅଲ୍ଲୁଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ବିଚାରପତି। ତେବେ ଜାମିନ ଖାରଜ ହେବାକ୍ଷଣି ତେଲେଙ୍ଗାନା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅଲ୍ଲୁଙ୍କ ଓକିଲ। ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିବା ସୂଚନା ମିଳିଛି ।