ଭୁବନେଶ୍ୱର,୭/୧୨: ଓଡ଼ିଶାରେ ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାର ୮ଟି ସମେତ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ମଞ୍ଜୁରୀ ମିଳିଛି । ଏହାସହିତ ଆଉ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ସିସିଇଏ ଅନୁମୋଦନ କରିଛନ୍ତି ।ଓଡ଼ିଶାରେ ଯେଉଁ ୮ଟି ସ୍ଥାନରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ ପାଟଣାଗଡ଼, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ତାଳଚେର, ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କୋରାପୁଟ ଜିଲ୍ଲାର ଜୟପୁର ଓ ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧାରେ ଖୋଲିବ । ଏହି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ୫୮୭୨ କୋଟି ଟଙ୍କା ଓ ୨୮ଟି ନବୋଦୟ ସ୍କୁଲ ପ୍ରତିଷ୍ଠା ପାଇଁ ୨୩୫୯କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଖର୍ଚ୍ଚ ଭାରତ ସରକାର ବହନ କରିବେ ।