ଭୁବନେଶ୍ୱର, ୩/୧୧: ଆସନ୍ତା ବର୍ଷ ୯ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଟିକେଟ ମୂଲ୍ୟ ଧାର୍ଯ୍ୟ କରିଛି।
ଓସିଏ ସମ୍ମିଳନୀ କକ୍ଷରେ ଆଜି ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଷ୍ଟାଡିୟମର ୧ ନମ୍ବର ଗ୍ୟାଲେରିର ଟିକେଟ୍ ମଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ୨ ଓ ୩ ପାଇଁ ୧୦୦୦ ଓ ୧୨୦୦ ଟଙ୍କା, ଗ୍ୟାଲେରି ନମ୍ବର ୪ ପାଇଁ ୧୦୦୦ ଟଙ୍କା, ଗ୍ୟାଲେରି ନମ୍ବର ୫ ପାଇଁ ୧୫୦୦ ଟଙ୍କା, ଗ୍ୟାଲେରି ନମ୍ବର ୬ ପାଇଁ ୧୨୦୦ ଓ ଗ୍ୟାଲେରି ୭ ନମ୍ବର ପାଇଁ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଏହାସହ ସ୍ପେଶାଲ ଏନ୍କ୍ଲୋଜର ପାଇଁ ମଧ୍ୟ ଟିକେଟର ମୂଲ୍ୟ ଧାର୍ଯ୍ୟ ହୋଇଛି। ଏଥି ପାଇଁ ୭୦୦୦ ଟଙ୍କା ରହିଥିବା ବେଳେ ଏସି ଗ୍ୟାଲେରି ବକ୍ସ ପାଇଁ ୯୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ଟିକେଟର ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି। ଆଜିର ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଓସିଏ କର୍ମକର୍ତ୍ତା ଯୋଗ ଦେଇଥିଲେ।