ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ୩ ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତର କରାସରିଲାଣି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୧୦: ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ‘ଏବେ ଯାଏଁ ୩ ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତର କରାସରିଲାଣି। ‘ଦାନା’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଶତ ପ୍ରତିଶତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବାତ୍ୟା ‘ଦାନା’ ଉପକୂଳମୁହାଁ ହୋଇଥିବା ବେଳେ ମଧ୍ୟ ରାତ୍ରିରେ ଲ୍ୟାଣ୍ଡଫଲ୍‌ କରିବ। ଏଥିଯୋଗୁ ୧୧ଟି ଜିଲ୍ଲା କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଛି। ଏହି ସମସ୍ତ ଜିଲ୍ଲାର ମୋଟ ୩୮ଟି ବ୍ଲକ ଓ ୯ ପୌରାଞ୍ଚଳ ୧୬୫୩ ଗାଁ ପ୍ରଭାବିତ ହେବ । ତୃଣମୂଳ ସ୍ତରରେ ୧୯ଟି ଏନଡିଆରଏଫ ଟିମ୍‌, ୫୧ଟି ଓଡ଼ିଆରଏଫ୍‌ ଟିମ୍‌, ୨୨୦ଟି ଅଗ୍ନିଶମ ବାହିନୀ ଟିମ୍‌ ସମେତ ୧୫୮ ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ଗାଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଗାଁରେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ହେବ’ । ସେମାନଙ୍କ ଘରଦ୍ୱାର ସୁରକ୍ଷାକୁ ବି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାବାଦ ବାତ୍ୟା ଲ୍ୟାଣ୍ଡଫଲ୍‌ କଲେ ଅତ୍ୟଧିକ ପବନ ଯୋଗୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ। ତେଣୁ ଉକ୍ତ ସମୟରେ ମେଡିକାଲମାନଙ୍କରେ ନିରବଚ୍ଛିନ ବିଦ୍ୟୁତ୍‌ ସେବା ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି।

Leave a Reply

Your email address will not be published. Required fields are marked *