ବାତ୍ୟା ଦାନା ନେଇ ରେଳବାଇ ପକ୍ଷରୁ ୧୭୮ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୨/୧୦:  ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ରେଳବାଇ ଉପକୂଳ ଓଡ଼ିଶା ଦେଇ ଚଳାଚଳ କରିବାକୁ ଥିବା ଶତାଧିକ ଟ୍ରେନ୍‌ ବାତିଲ କରିଦେଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଓ ରେଳବାଇର ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ୧୭୮ଟି ଟ୍ରେନ୍‌ ବାତିଲ ହୋଇଛି। ଏହି ଟ୍ରେନ୍‌ ଗୁଡ଼ିକ ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ପୁରୀରୁ ହାଓଡା ରୁଟ୍‌ରେ ବନ୍ଦ ରହିବ। ଏତଦ୍‌ ବ୍ୟତୀତ ପୂର୍ବତଟ ରେଳପଥର ଅନ୍ୟ ରୁଟ୍‌ରେ ମଧ୍ୟ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହେବ।

ଏଥିରେ ୮୫ଟି ଅପ୍‌ ଟ୍ରେନ୍‌ ଓ ୯୩ଟି ଡାଉନ୍‌ ଟ୍ରେନ୍‌ ସାମିଲ ରହିଛି। ବାତିଲ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ ମଧ୍ୟରେ ହାଓଡା-ସିକନ୍ଦରାବାଦ୍‌, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା-ଭୁବନେଶ୍ବର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ଟ୍ରେନ୍‌ ବାତିଲ କରାଯାଇଛି।