ଅବପାତରେ ପରିଣତ ହେଲା ଲଘୁଚାପ, ସବୁ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଜାରି

ଭୁବନେଶ୍ୱର,୨୨/୧୦: ଆଜି ସକାଳେ ୱେଲ୍ ମାର୍କଡ ଲୋ ପ୍ରେସର ଅବପାତରେ ପରିଣତ ହୋଇଛି। ତାହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ । ବାତ୍ୟା ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାହା ବାତ୍ୟାର ରୂପ ନେବ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ୱୀପ ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ ବୋଲି ସେ କହିଛନ୍ତି ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସବୁ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏଥିସହ ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାରୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ । ଏହି ସମୟରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର. କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *