ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୨/୧୦: ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା। ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ଭୀଷଣ ବାତ୍ୟା- ‘ଦାନା’ ମାଡ଼ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପୁରୀରୁ ପଶ୍ଚିମ ବଙ୍ଗର ସାଗର ଦୀପ ମଧ୍ୟରେ ଏହା ଅତିକ୍ରମ କଲାବେଳକୁ ପବନର ବେଗ ୧୨୦ କିଲୋମିଟର ପାଖାପାଖି ଯିବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି। ଆଉ ଏହି ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସକରାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗକୁ ଚିଠି ଲେଖି ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅବଗତ କରିଛନ୍ତି । ୨୪ତାରିଖ ରାତି କିମ୍ବା ୨୫ତାରିଖ ସକାଳେ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଥିବାରୁ ଯେକୌଣସି ଅଭାବନୀୟ ପରିସ୍ଥିତିର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ୩ଦିନ ପାଇଁ ବାତିଲ ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ଜଣାଇଛନ୍ତି । ସମସ୍ତ କର୍ମଚାରୀ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *