ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୧୩/୦୯: ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ବଙ୍ଗୋପସାଗରରେ ଅବପାତ ରୂପ ନେଇପା‌ରେ। ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖ ସକାଳଠାରୁ ୧୪ ତାରିଖ ପୂର୍ବାହ୍ନ ମଧ୍ୟରେ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ପ୍ରବଳରୁ ଅତିପ୍ରବଳ ଏବଂ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବଜ୍ରପାତ ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ଦ୍ବାରା ଜଳବନ୍ଦୀ ସମସ୍ୟା, କମ୍‌ ଦୃଶ୍ୟମାନ ହେବା, କଚ୍ଚା ରାସ୍ତା ନଷ୍ଟ ହେବା, ପାହାଡ଼ ଧସିବା ପରି ସମସ୍ୟା ସୃଷ୍ଟି ହୋଇପାରେ। ‌ତେଣୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ କରାଯାଇଛି। ଉତ୍ତର ବଙ୍ଗୋପସାଗର ସହ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *