ମହିଳା ହଷ୍ଟେଲ୍‌ର ଗାଧୁଆଘରୁ ବାହାରିଲା କ୍ୟାମେରା, ଜଣେ ଗିରଫ

ଭୁବନେଶ୍ୱର, ୩୦/୦୮:ଆନ୍ଧ୍ରପ୍ରଦେଶର କିଷ୍ଣା ଜିଲ୍ଲାର ଏକ ଇଞ୍ଜିନିୟରିଂ କଲେଜର ମହିଳା ହଷ୍ଟେଲ ଗାଧୁଆଘରେ ହିଡେନ୍‌ କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପ୍ରସାରିତ ହେବା ସହ ଘଟଣା ଉଗ୍ର ରୂପ ନେଇଛି। ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହେବା ସହ ଏହି ଘଟଣା ସହ ଜଡ଼ିତ ଥିବା ଅଭିଯୋଗରେ ଜଣେ ଅନ୍ତିମ ବର୍ଷର ଛାତ୍ରଙ୍କୁ ଅଟକ ରଖାଯାଇଛି।

କ୍ୟାମେରାରେ ରେକର୍ଡ ହୋଇଥିବା କିଛି ଭିଡିଓ ବାଳକମାନଙ୍କ ହଷ୍ଟେଲରେ ପ୍ରସାରିତ ହୋଇଥିବାର ବି ଅଭିଯୋଗ ହୋଇଛି। “ଆମେ ନ୍ୟାୟ ଚାହୁଁଛୁ” ଭଳି ସ୍ଲୋଗାନ ଦେଇ ଛାତ୍ରୀମାନେ କଲେଜରେ ଏକାଠି ହୋଇ ହିଡେନ୍‌ କ୍ୟାମେରା ପଛରେ ଥିବା ଏବଂ ଭିଡିଓ ପ୍ରସାରଣରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହି ଘଟଣା ପରେ ପୁଲିସ୍‌ ଆସି ମାମଲାର ତଦନ୍ତ କରି କ୍ୟାମେରା ଲଗାଇବାରେ ସମ୍ପୃକ୍ତ ଥିବା ଜଣେ ଶେଷ ବର୍ଷର ଛାତ୍ରଙ୍କୁ ଧରି ନେଇ ଅଟକ ରହିଛି। ଅଧିକାରୀଙ୍କ ଅନୁଯାୟୀ ଛାତ୍ରଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ ଏବଂ ଅଧିକ ତଦନ୍ତ ଜାରି ରହିଛି।