ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର,୨୬/୦୮: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ତଥା ପବିତ୍ର ଜନ୍ମାଷ୍ଟମୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ।

ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା। ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ। ସେହିପରି ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀ। ଉତ୍ତରପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଭବ୍ୟ ଆୟୋଜନ ହୋଇଛି। ସେହିପରି ଗୁଜରାଟ ଦ୍ୱାରକାଧୀଶ ମନ୍ଦିର ମଧ୍ୟ ଝଲସୁଛି ଆକର୍ଷଣୀୟ ଆଲୋକମାଳାରେ। ତୀର୍ଥଯାତ୍ରୀଙ୍କ ଭିଡ଼ ସହ ଗହଳ ଚହଳରେ ପୁରି ଉଠିଛି ଦ୍ୱାରକା ନଗରୀ।