ଅଧିକ ଅଦା ଖାଇଲେ ଶରୀର ଉପରେ କଣ ପ୍ରଭାବ ପକାଇଥାଏ? ଜାଣନ୍ତୁ

ସମସ୍ତିଙ୍କ ରୋଷେଇ ଘରେ ଅଦା ରହିଥାଏ। ଅଦା ମସଲା ଆକାରରେ ବ୍ୟବହାର କରାଯାଉଥିବା ବେଳେ ଅନେକ ଲୋକ ଚା’ରେ ଅଦା ପକାଇ ପିଇବାକୁ ଭଲ ପାଇଥାନ୍ତି। ବର୍ଷା ଓ ଶୀତଦିନେ ଅଦା ମିଶା ଚାହାର ଅଧିକ ଚାହିଦା ଥାଏ।  ଅଦା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ତେଣୁ ଲୋକେ ଭାବନ୍ତି ଚା’ କିମ୍ବା ଖାଦ୍ୟରେ ଟିକେ ଅଧିକ ଅଦା ପଡ଼ିଲେ କିଛି କ୍ଷତି ନାହିଁ। କିନ୍ତୁ ଏହା ପୂରା ଭୁଲ୍ ଧାରଣା। ଅଧିକ ଅଦା ଖାଇଲେ ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା ଅଧିକ ଅଦା ଖାଇଲେ ଶରୀରର କଣ କ୍ଷତି ହୋଇଥାଏ।

ଅଦା ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଆପଣ ରକ୍ତଚାପରେ ପୀଡ଼ିତ ଅଛନ୍ତି ତେବେ ଆଦୌ ଅଧିକ ଅଦା ଖାଇବା ଉଚିତ ନୁହେଁ।

ଅଦା ଖାଦ୍ୟକୁ ହଜମ କରିବା ସହିତ ପେଟ ସଫା କରିବାରେ ସାହାଯ୍ୟ କରେ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ଡାଇରିଆ ହେବାର ଆଶଙ୍କା ରହିଥାଏ।

ଅଧିକ ଅଦା ଖାଇବା ଯୋଗୁ ପେଟରେ ଗ୍ୟାସ୍‌ ଓ ଜଳାପୋଡ଼ା ହୋଇଥାଏ।  ତେଣୁ ଚାହା କିମ୍ୱା ଖାଦ୍ୟରେ ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରନ୍ତୁ।

ଅଦାରେ ଥିବା କିଛି ତତ୍ତ୍ୱ ରକ୍ତକୁ ପତଳା କରିଥାଏ। ତେଣୁ ଅଧିକ ଅଦା ଖାଇବା ଦ୍ୱାରା ରକ୍ତ ପତଳା ହୁଏ ଓ ଏହାର ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ।