ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା, ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା

ନୂଆଦିଲ୍ଲୀ,୧୦/୦୮: ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଜନବସତି ଉପରେ ଖସିବା ପରେ ଜଳିଗଲା ଯାତ୍ରୀବାହୀ ବିମାନ। ଦୁର୍ଘଟଣାରେ ମୋଟ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ରାଜିଲ୍‌ର ସାଓ ପଲୋରେ ଶୁକ୍ରବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ବିମାନରେ ମୋଟ୍‌ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ। ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ‌ଭୋଏପାସ ଲିନହାସ ଏରିଜ୍‌ ଦ୍ବାରା ପରିଚାଳିତ ଏଟିଆର-୭୨ ବିମାନ ଆଜି ବ୍ରାଜିଲ୍‌ର କାସକାଭେଲ୍‌ରୁ ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିବାବେଳେ ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ‌ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡ଼ିନାହିଁ।