ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ମିଳିଲା ରୌପ୍ୟ ପଦକ

ଭୁବନେଶ୍ୱର,୯/୦୮: ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ମିଳିଲା ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ଜାଭଲିନ୍ ଫାଇନାଲରେ ଭାରତ ପାକିସ୍ତାନ ସହ ଟକ୍କର ଦେଇଥିଲା । ପାକିସ୍ତାନର ଅର୍ଶଦ୍ ନଦୀମ୍ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ଗୁରୁବାର ତୀବ୍ର ପ୍ରତିନ୍ଦ୍ୱିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଚରେ ନୀରଜ ତାଙ୍କ ପ୍ରଥମ ପ୍ରୟାସ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ । ଦ୍ୱିତୀୟ ପ୍ରୟାସରେ ନୀରଜ କିନ୍ତୁ ୮୯.୪୫ ମିଟର ଜାଭଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ । ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ସ୍ବର୍ଣ୍ଣ ଜିତିବାର ସବୁଠୁ ବଡ଼ ଦାବିଦାର ରହିଥିଲେ ନୀରଜ ।