ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୬/୦୭: କାରଗିଲ ବିଜୟ ଦିବସରେ ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଓଡିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନଥିବେ ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ଯାଏଁ ସଂରକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ତେବେ ଖାଲି ସଂରକ୍ଷଣ ନୁହେଁ ବରଂ ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବ। ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକ ମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି ବୋଲି ସେ କହିଛନ୍ତି।