ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ, ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୦୭: ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ। ୧୯୯୯ରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧର ବିଜୟକୁ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଗିଲ ଦିବସ ପାଳନ କରାଯାଉଛି। ଆଜି ଲଦାଖରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଆର୍ମି ମୁଖ୍ୟ ଜେଲେନରାଲ ଉପେନ୍ଦ୍ର ଦ୍ବିବେଦୀ। ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ କାର୍ଗିଲ ଶୃଙ୍ଗରେ ତ୍ରିରଙ୍ଗା ପୋତି ବିଜୟ ବାନା ଉଡାଇଥିଲା ଭାରତୀୟ ସେନା । ୧୯୯୯ ମେ ୩ ତାରିଖରେ ପ୍ରଥମେ କାର୍ଗିଲ ସେକ୍ଟରରେ କିଛି ସନ୍ଦିଗ୍ଧ ବଙ୍କର ନିର୍ମାଣ କରୁଥିବା ନେଇ ଦେଖିଥିଲେ କିଛି ସ୍ଥାନୀୟ ମେଣ୍ଡା ପାଳକ । ପରେ ମେ ୫ ତାରିଖରେ ସେହି ସ୍ଥାନକୁ ପାଟ୍ରୋଲିଂରେ ଯାଇଥିବା ୫ ଭାରତୀୟ ସୈନିକଙ୍କ ଶହୀଦ ହେବାକୁ ପଡିଥିଲା। ପରେ ଭାରତୀୟ ସେନା ପାଲଟା ଆକ୍ରମଣରେ ସେପଟୁ ପ୍ରବଳ ଗୁଳିବର୍ଷଣ ହୋଇଥିଲା । ୨ ମାସରୁ ଅଧିକ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ୫୨୭ ଜଣ ବୀର ଯବାନ ସହିଦ ହେଲେ। ପାକିସ୍ତାନର ୧୨ଶହରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ଶେଷରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନା ଜୁଲାଇ ମାସରେ ପଛକୁ ହଟିଥିଲେ। ଆଉ ଜୁଲାଇ ୨୬ରେ ୧୯୯୯ରେ ଯୁଦ୍ଧର ଅନ୍ତ ହୋଇଥିଲା। ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଥିବା ଶତ୍ରୁସୈନ୍ୟଙ୍କୁ ପରାସ୍ତ କରି ବିଜୟ ଉଲ୍ଲାସରେ ଉତଫୁଲିତ ହୋଇଥିଲା ସାରା ଦେଶ।