ଆସନ୍ତା ୭ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୧୭/୦୭: ଆସୁଛି ଆଉ ଏକ ଲଘୁଚାପ। ଏବେ ଏକ ଲଘୁଚାପ ସକ୍ରିୟ ଥିବା ବେଳେ ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ଆଗାମୀ ୭ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି ଆଜି ଅନେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।