ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ

ଭୁବନେଶ୍ୱର,୧/୦୭: ଇତିହାସ ପାଲଟିଲା ବ୍ରିଟିଶ ଆଇନ । ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ଆଜି ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି । ଏହା ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପିଙ୍ଗଳ କୋଡର, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ।
ଯେଉଁଥିରେ ଜିରୋ ଏଫଆଇଆର, ପୁଲିସ ଅଭିଯୋଗର ଅନଲାଇନ ପଂଜୀକରଣ, ଏସଏମଏସ ଭଳି ବୈଦୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଅପରାଧ ପାଇଁ ଅପରାଧ ଦୃଶ୍ୟର ବାଧ୍ୟତାମୂଳକ ଭିଡ଼ିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆଇନ ବ୍ୟବସ୍ଥାରେ ପ୍ରତ୍ୟେକ ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ. ମହିଳା ଓ ଶିଶୁ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର ଏବଂ ଡିଜିଟାଲ ପ୍ରମାଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ୨୦୨୩ ମସିହା ଡିସେମ୍ବର ୨୧ରେ ଏହି ୩ଟି ବିଲ୍ ସଂସଦରେ ଗୃହୀତ ହେବାପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା, ଯାହା ଆଜିଠୁ ଦେଶରେ ଲାଗୁ କରାଯାଇଛି ।