ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଘଡଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୨୨/୦୬:  ରାଜ୍ୟରେ ବର୍ଷା ପାଇଁ ତାତିରୁ ଆଶ୍ୱସ୍ତି ଆଣି ଦେଇଛି । ସେହିଭଳି ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା ଘଡଘଡି । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
୨୪ ତାରିଖରେ ରାଜ୍ୟରେ କିଛିମାତ୍ରାରେ କମିବ ବର୍ଷା । ତେବେ ୨୫ ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ । ୨୬ରେ ବିଶେଷକରି କଳାହାଣ୍ଡି , ରାୟଗଡ଼ା , ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର , ନୂଆପଡ଼ା , ସୋନପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହିଛି । ଏଣୁ ସତର୍କ ବାଣୀ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି ମୌସୁମୀ ସୂଚନା ଅନୁସାରେ ସୁନ୍ଦରଗଡ଼ , ଝାରସୁଗୁଡ଼ା , ମୟୂରଭଞ୍ଜ , କେଉଁଝର ଓ ବାଲେଶ୍ଵରର କିଛି ଅଞ୍ଚଳରେ ପହଞ୍ଚିନି ମୌସୁମୀ । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ରହିଛି । ଆଗାମୀ ୩ ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ ।