ବିଧାନସଭାରେ ୨୦୨୧-୨୨ ଆର୍ଥିକବର୍ଷର ରାଜ୍ୟ ବଜେଟ ଆଗତ

ଭୁବନେଶ୍ୱର, ୨୨/୨:  ବିଧାନସଭାରେ ଉପସ୍ଥାପନ ହୋଇଛି ୨୦୨୧-୨୨ ଆର୍ଥିକବର୍ଷର ରାଜ୍ୟ ବଜେଟ । ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରଥମ ଥର ପାଇଁ ଉପସ୍ଥାପିତ ହୋଇଛି ପେପରଲେସ୍‌ ବଜେଟ । ମହାମାରୀ ପାଇଁ ରାଜ୍ୟର ବିକାଶ ପ୍ରଭାବିତ ହୋଇଛି। କିନ୍ତୁ ତଥାପି  କରୋନାର ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର ।

କରୋନା ସତ୍ତ୍ବେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଏହାସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । କୋଭିଡ ପରିଚାଳନାରେ ସରକାରଙ୍କୁ ସମସ୍ତେ ସହଯୋଗ କରିଛନ୍ତି । ୨୦୨୦-୨୧ ଭାରତର ଅର୍ଥନୀତି ୭.୭% ସଙ୍କୁଚିତ ହୋଇପାରେ ବୋଲି ସେ କହିଛନ୍ତି।

କୃଷି ପାଇଁ ବଜେଟରେ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।  ୨୦୧୩-୧୪ରୁ ରାଜ୍ୟରେ କୃଷି ବଜେଟ ଆଗତ ହୋଇଆସୁଛି । ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୦ କୋଟି ଓ  ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୨ କୋଟି ବ୍ୟୟ ବରାଦ ହୋଇଛି।

SCB ବିକାଶ ପାଇଁ ୫୦୦ କୋଟି ଟଙ୍କା , ସ୍ବାସ୍ଥ୍ୟ ବୀମା ପାଇଁ ୧୩୫୩ କୋଟି ଟଙ୍କା , ସାମାଜିକ ସହାୟତା ଯୋଜନା ପାଇଁ ୯୨୩ କୋଟି , ମମତା ଯୋଜନା ପାଇଁ ୨୭୯ କୋଟି ଟଙ୍କା,  ବସୁଧା ଯୋଜନା ପାଇଁ ୨ ହଜାର ୪୧୯ କୋଟି ଟଙ୍କା, ମତ୍ସ୍ୟ ଚାଷ ଓ ଚାଷୀଙ୍କ ପାଇଁ ୨୦୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।