ଶୃଙ୍ଖଳିତ ରଥଯାତ୍ରା ସହ ଭିଡ଼କୁ ନିୟନ୍ତ୍ରଣ ଉପରେ ଦିଆଯିବ ଗୁରୁତ୍ୱ

ଭୁବନେଶ୍ୱର,୧୬/୦୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଶୃଙ୍ଖଳିତ ରଥଯାତ୍ରା ସହ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ, ତା’ ଉପରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଚଳିତ ବର୍ଷ ଦୁଇଦିନ ରଥଯାତ୍ରା ପଡ଼ୁଥିବାରୁ ସମସ୍ତ ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ।

ଚଳିତ ବର୍ଷ ୧୫ ଦିନ ବଦଳରେ ୧୩ ଦିନ ହେବ ଅଣସର ନୀତି । ୨ ଦିନ ସମୟ କମ ଥିବାରୁ ଶୃଙ୍ଖଳିତ ନୀତି ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ସରକାର ।ପ୍ରଥମଥର ରଥଯାତ୍ରା ୨ ଦିନ ହୋଇପାରେ । ସେପଟେ ରଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରାଇବା ନୂଆ ସରକାରଙ୍କ ପକ୍ଷେ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ସେଥିପାଇଁ ରଥଯାତ୍ରା ପରିଚାଳନାରେ ଅଭିଜ୍ଞତା ଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ପରବର୍ତୀ ସମୟରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ମଧ୍ୟ ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ ।