ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

ଭୁବନେଶ୍ୱର,୧୩/୦୬: ସବୁ ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ୪ ଦ୍ୱାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଯେଉଁ ପ୍ରତିବନ୍ଧକ ଆଜି ହଟି ଯାଇଛି। ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ। କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଯାହାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ବିଜେପି, ଦାୟିତ୍ୱଗ୍ରହଣ କରିବାର କିଛି ସମୟରେ ସେନେଇ ନିଷ୍ପତ୍ତି ନିଆ ହୋଇଛି। ଗତକାଲି ରାତିରେ ହିଁ ମନ୍ତ୍ରିପରିଷଦ ଆସି ପୁରୀରେ ପହଞ୍ଚିଛନ୍ତି। ଆଜି ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦ୍ୱାରକୁ ଖୋଲା ଯାଇଛି।