ଓଡ଼ିଶାରେ ଅମିତ ଶାହ, କହିଲେ ଓଡିଶାରେ ବିଜେପି ଜିତିବ ୧୭ ଲୋକସଭା ସିଟ୍

ଭୁବନେଶ୍ୱର,୨୮/୦୫: ଓଡ଼ିଶାରେ ଅମିତ ଶାହ । ସେ କହିଛନ୍ତି ଏଥର ଓଡିଶାରେ ବିଜେପି ୧୭ ଲୋକସଭା ସିଟ୍ ଜିତିବ । ୭୫ ବିଧାୟକଙ୍କ ସହ ଓଡିଶାରେ ବିଜେପି ସରକାର ଗଢିବାକୁ ଯାଉଛି”, ମଙ୍ଗଳବାର ଭଦ୍ରକ ଚାନ୍ଦବାଲିରେ ବିଜୟ ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରି କିଛି ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହା । ଏଥିସହ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଜୁନ୍ ୪ରେ ଫଳାଫଳ ଆସିବ ଏବଂ ନବୀନ ବାବୁ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଇଯିବେ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁଥିବ, ଯୁବ ମୁଖ୍ୟମନ୍ତ୍ରୀ ହେଇଥିବ, ଜଗନ୍ନାଥଙ୍କ ଭକ୍ତ ହେଇଥିବ ବୋଲି କହିଛନ୍ତି ଶାହା । ଏଥିସହ ୨୫ ବର୍ଷ ପରେ ଓଡିଶାକୁ ଓଡିଆ କହୁଥିବା, ଲେଖୁଥିବା ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି ।

ଓଡିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲେଇବା ଦରକାର ନା ତାମିଲ ବାବୁ ଚଲେଇବା ଦରକାର ବୋଲି ପ୍ରଶ୍ନ କରିବା ସହ, ଏ ନିର୍ବାଚନ ଓଡିଆ ଅସ୍ମିତାର ନିର୍ବାଚନ, ଓଡିଆ ଭାଷା, ଓଡିଆ ସାହିତ୍ୟ, ଓଡିଆ ଗୌରବ, ଓଡିଆ କଳା ଏବଂ ଉକ୍ରଳ ପ୍ରଦେଶର ସ୍ୱାଭିମାନର ନିର୍ବାଚନ ବୋଲି କହିଛନ୍ତି ଶାହା । ଖାଲି ସେତିକି ନୁହେଁ , ବିଜେପି ଆସିଲେ ବାବୁଙ୍କ ଜାଗାରେ ଆପଣଙ୍କ ଜନସେବକ ଏଠାରେ ଶାସନ କରିବ ବୋଲି ଶାହା କହିଛନ୍ତି ।

ଶାହା କହିଛନ୍ତି, ବିଜେଡି ୨୫ ବର୍ଷର୍ରେ ଓଡିଶାର ବିକାଶ ପାଇଁ କିିଛି ବି ହେଇନି । ଓଡିଶା ଦେଶର ଏକ ସମୃଦ୍ଧ ରାଜ୍ୟ । ଏହାର ମାଟି ତଳେ ଅନେକ ଖଣିଜ ପଦାର୍ଥ ଅଛି, ନଦୀ ଅଛି । ହେଲେ ଓଡିଆ ଲୋକ କିନ୍ତୁ ଗରିବ ରହିଯାଇଛନ୍ତି । ଏଥିପାଇଁ ଦୋଷୀ ହେଉଛନ୍ତି ନବୀନ ବାବୁ । ସମଗ୍ର ଓଡିଶାରୁ ଲକ୍ଷ ଲକ୍ଷ ଓଡିଆ ଶ୍ରମିକ କାମ ପାଇଁ ବାହାରକୁ ଯାଉଛନ୍ତି । ହେଲେ ବିଜେପି ସରକାର ଆସିଲେ ଓଡିଶାରେ ଇଣ୍ଡଷ୍ଟ୍ରୀ ହେବ, ଆଉ କାହାକୁ ବାହାରକୁ ଯିବାକୁ ପଡିବନି ।