ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ରେମାଲ, ଘଣ୍ଟା ପ୍ରତି ପବନର ବେଗ ଥିଲା ୧୩୦କିମି

ଭୁବନେଶ୍ୱର,୨୭/୦୫: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ରେମାଲ’ । ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ଓ ବାଂଲା ଉପକୂଳରେ ରଚିଲା ତାଣ୍ଡବ । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ୪ଜିଲ୍ଲାରେ ବର୍ଷା ହୋଇଛି। ଆଜିଠୁ ରାଜ୍ୟରେ ପୁଣି ବୃଦ୍ଧି ପାଇବା ଦିନର ତାପମାତ୍ରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଉପକୂଳ ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି । ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗକୁ ଗତି କରିଛି । ଅନେକ ସ୍ଥାନରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି । ସେହିପରି ସମୁଦ୍ରରେ ମଧ୍ୟ ଉଚ୍ଚ ଲହରୀ ଆସୁଥିବା ଦେଖିବାକୁ ମିଳିଛି ।ଏସବୁ ମଧ୍ୟରେ ଏନଡିଆରଏଫ ଏସଡିଆରଏଫ୍ ବାତ୍ୟା ପ୍ରଭାବିତ ଅଂଚଳରେ ପହଁଚି ଏହାର ମୁକାବିଲା କରିଛନ୍ତି । ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ବଡ଼ ବଡ଼ ଗଛ ଏବଂ ବିଜୁଳି ଖୁଣ୍ଟକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ବାତ୍ୟା ରେମାଲ ଉପରେ ସମୀକ୍ଷା ବୈଠକ କରିଛନ୍ତି ।