ଭୁବନେଶ୍ୱର,୨୫/୦୫: ଅଟୋରେ ବସି ସକାଳୁ ସକାଳୁ ବୁଥରେ ପହଞ୍ଚିଲେ । ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ୟୁନିଟ୍-୬ର ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ପାଣ୍ଡିଆନ । ଭୋଟ ଦେବା ପରେ ପାଣ୍ଡିଆନ କହିଛନ୍ତି, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ । ଭାରତ ନିଜର ଗଣତନ୍ତ୍ରକୁ ନେଇ ପରିଚିତ । ତେଣୁ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ । ଅଟୋ ଚାଳକ ସଂଘ ମୋତେ ଆଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି । ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ପଡିଲା । ଏହାପୂର୍ବରୁ ଏକ ଅଟୋରେ ବସି ବୁଥକୁ ଆସିଥିଲେ ପାଣ୍ଡିଆନ । ବୁଥରେ ସାଧାରଣ ଲୋକଙ୍କ ପରି ସେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ଏହାପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଅଧିକରୁ ଅଧିକ ଲୋକ ଭୋଟ ଦେବାକୁ ଆସନ୍ତୁ ବୋଲି ଅପିଲ କରିଥିଲେ ଭିକେ ପାଣ୍ଡିଆନ । ଖରା ହେଉ କି ବର୍ଷା, ସମସ୍ତଙ୍କୁ ଭୋଟ ଦେବାକୁ କହିଥିଲେ ପାଣ୍ଡିଆନ । ଭିକେ ପାଣ୍ଡିଆନଙ୍କ ପୂର୍ବରୁ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।