ଖଲିକୋଟ ହିଂସାକାଣ୍ଡ ଘଟଣାରେ ୧୪୪ ଧାରା ଜାରି

ଭୁବନେଶ୍ୱର,୧୬/୦୫: ଖଲିକୋଟ ହିଂସାକାଣ୍ଡ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କୁ ନେଇ ପୋଲିସ ଥାନାରୁ ଯାଉଥିବାବେଳେ,ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଘେରିବା ସହ ଢେଲା ପଥର ଏବଂ ବୋତଲ ମାଡ କରିଛନ୍ତି । ଏଥିରେ ପୋଲିସ ଭ୍ୟାନ କାଚ ଭାଙ୍ଗି ଯାଇଛି । ଜବାବରେ ପୋଲିସ ମଧ୍ୟ ପାଲଟା ଲାଠିଚାର୍ଜ କରିଛି । ଯାହାକୁ ନେଇ ଉତେଜନା ମୂଳକ ସ୍ଥିତି ଦେଖିବାକୁ ମିଳିଛି । ଉତେଜନାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ଥାନାର ଶହେ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ସୁଚନା ଅନୁଯାୟୀ  ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସିଇଓ । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣି ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।