ହିନ୍ଦୋଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ବିରୋଧୀଙ୍କୁ ଟାର୍ଗେଟ କରି ଏପରି କହିଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୧୩/୦୫: ହିନ୍ଦୋଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଏହାସହ ଜନସଭାକୁ ସମ୍ବୋଧିତ କରିବା ସହ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅସମ୍ମାନ କରିଛନ୍ତି । ତାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ଏହା ସମସ୍ତଙ୍କୁ ଦୁଃଖ ଦେଉଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ପରିବାର ଭାବି ସୁଃଖ ଦୁଃଖରେ ଛିଡା ହେଉଛନ୍ତି । ଏଭଳି ମୁଖ୍ୟମନ୍ତ୍ରୀଙ୍କୁ କେହି ଅସମ୍ମାନ କଲେ ତାଙ୍କୁ ଉଚିତ୍ ଜବାବ ଦେବା ବୋଲି କହିଛନ୍ତି ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଦିନ ରାତି ଏକ କରି ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି, ଏଥର ଓଡ଼ିଶାବାସୀ ଜବାବ ଦେବେ । ଅତି ଶୋଚନୀୟ ଭାବେ ହାରିବ ବିଜେପି । କେନ୍ଦ୍ରମନ୍ତ୍ରୀ ୧୦ ବର୍ଷ ହେବ ମାଟିର ପୁଅ ବୋଲି କହି ବୁଲିବା ସହ ଅଞ୍ଚଳ ପାଇଁ କାମ କରିବାକୁ କହିଥିଲେ । କିନ୍ତୁ ୧୦ ବର୍ଷ ଭିତରେ କିଛି ମଧ୍ୟ କଲେନି । ମାଟିର ସେବା କରିବାକୁ ତାଙ୍କର ଆନ୍ତରିକତା ନାହିଁ । କେବଳ ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଇଁ ତାଙ୍କର ଲୋଭ ରହିଛି । ଏଭଳି ଆଶା ରଖିଥିବା ଲୋକ କେବେ ଜନସାଧାରଣଙ୍କ ସେବା କରିବେ ନାହିଁ । ପର୍ଯ୍ୟଟକ ଭଳି ଆସି ବୁଲିକି ଯାଉଥିବା ନେତାଙ୍କୁ ମୁହଁତୋଡ ଜବାବ ଦେବେ ଓଡ଼ିଶାବାସୀ ।