କନ୍ଧମାଳରେ ପ୍ରଧାନମନ୍ତ୍ରୀ କରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର,୧୧/୫: ଆଜି କନ୍ଧମାଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ଆଉ ଏହାର ଜବାବ ରଖିଛନ୍ତି ନବୀନ ପଟ୍ଟନାୟକ ।  ସେ କହିଛନ୍ତି କି, ମୋର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ କେତେ ମନେ ରଖିଛନ୍ତି ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଓଡିଆ ଭାଷା କ୍ଲାସିକାଲ ଭାଷା ହେବା ପରେ ବି ପ୍ରଧାନମନ୍ତ୍ରୀ ଓଡିଆ ଭାଷାକୁ ଭୁଲିଗଲେ, ଆପଣ ସଂସ୍କୃତ ଭାଷାର ବିକାଶ ପାଇଁ ଆପଣ ୧ ହଜାର କୋଟି ଟଙ୍କା ଦେଲେ, ହେଲେ ଓଡିଆ ଭାଷାର ବିକାଶ ପାଇଁ ଆପଣ ଗୋଟିଏ ବି ଟଙ୍କା ସହାୟତା ଦେଲେ ନାହିଁ । କେବଳ ସେତିକି ନୁହେଁ, ଭାରତ ରତ୍ନକୁ ନେଇ ମଧ୍ୟ ନବୀନ ପଟ୍ଟନାୟକ ମୋଦୀଙ୍କୁ କଟାକ୍ଷ କରିଛନ୍ତି ।  ଆପଣ ଭାରତ ରତ୍ନ ବାଣ୍ଟିବା ବେଳେ ଓଡିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ କେମିତି ଭୁଲିଗଲେ ବୋଲି ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ନବୀନ ।

ନବୀନ କହିଛନ୍ତି କି, କେବଳ ନିର୍ବାଚନ ସମୟରେ ଓଡିଶାକୁ ମନେ ପକାଇଲେ କିଛି ଲାଭ ମିଳିବ ନାହିଁ । ଅପାଣ ୨୦୧୪ ଓ ୨୦୧୯ ରେ ଦେଇଥିବା ପ୍ରତିଶ୍ରୁତି ମନେ ରଖିଛନ୍ତି କି ବୋଲି ମୋଦୀଙ୍କୁ ନବୀନ ପ୍ରଶ୍ନ କରିଛନ୍ତି । ଦରବୃଦ୍ଧି କମାଇବା, ବର୍ଷକୁ ୨ କୋଟି ରୋଜଗାର ଦେବା ଗ୍ୟାସ ଓ ତୈଳର ଦରବୃଦ୍ଧି କମାଇବା, ମୋବାଇଲ କନେକ୍ଟିଭିଟି ଦେବା, ଜିଏସଟି ଛାଡ କରିବା ଭଳି ପ୍ରତିଶ୍ରୁତି ଦେଇ ଭୁଲିଯିବାକୁ ଓଡିଶାବାସୀ ମନେ ରଖିଛନ୍ତି ବୋଲି ନବୀନ କହିଛନ୍ତି ।

ଜୁନ ୧୦ ତ ନୁହେଁ କି ଆଗାମୀ ୧୦ ବର୍ଷ ମଧ୍ୟରେ ମଧ୍ୟ ବିଜେପି ଓଡିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡିଶାବାସୀଙ୍କ ଭଲ ପାଇବା ନେଇ ବିଜୁ ଜନତା ଦଳ ଷଷ୍ଠଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବୋଲି ନବୀନ କହିଛନ୍ତି ।