କନ୍ଧମାଳ ସଙ୍କଳ୍ପ ସମାବେଶରେ ଶାସକ ବିଜେଡି ଓ କଂଗ୍ରେସ ଦଳ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୧/୦୫: କନ୍ଧମାଳ ସଙ୍କଳ୍ପ ସମାବେଶରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ‘କନ୍ଧମାଳକୁ ଓଡିଶାର କାଶ୍ମୀର କୁହାଯାଏ । ଏହା ରାଜ୍ୟ ପର୍ଯ୍ୟଟନର ଏକ ମୁଖ୍ୟ ଆଧାର । କିନ୍ତୁ ଏହାର ବିକାଶ ପାଇଁ ରାଜ୍ୟ ସରକାର ଉଦାସୀନ । ହେଲେ ବିଜେପି ଏହାକୁ ପର୍ଯ୍ୟଟନର ମୁଖ୍ୟ ସ୍ରୋତକୁ ଆଣିବ । ଫଳରେ କନ୍ଧମାଳବାସୀଙ୍କ ପାଇଁ ରୋଜଗାର ମାର୍ଗ ବାହାରିବ । କନ୍ଧମାଳ ହଳଦି ସାରା ଦେଶରେ ଜଣାଶୁଣା । ଏହାକୁ କେନ୍ଦ୍ର ସରକାର ଜିଆଇ ଟ୍ୟାଗ୍ ମାନ୍ୟତା ଦେଇସାରିଛନ୍ତି । କିନ୍ତୁ ଏଠି ଖୋଦ୍ ବିଜେଡି ସରକାର ନା କନ୍ଧମାଳ ହଳଦୀର ମହତ୍ୱ ବୁଝିଛନ୍ତି ନା ହଳଦୀ ଗାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । କିନ୍ତୁ ବିଜେପି ସରକାର ଆଗାମୀ ଦିନରେ ଏଠିକାର ହଳଦୀ ଚାଷୀଙ୍କ ଦୁଃଖ ଦୂରେଇବ । ଏଠାରେ ‘ମସଲା ପାର୍କ’ ପ୍ରତିଷ୍ଠା କରିବ । ଏହାସହ ବିଜେପି ‘ହଳଦି ବୋର୍ଡ’ ମଧ୍ୟ ପ୍ରତିଷ୍ଠା କରିଛି’ ବୋଲି କହିଛନ୍ତି ମୋଦୀ । ‘ମୁଁ ଓଡିଶାବାସୀଙ୍କ ଋଣୀ । ସେମାନଙ୍କ ସେବା କରି ସେମାନଙ୍କ ଋଣ ସୁଝିବାକୁ ଚାହୁଁଛି । ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ, ଓଡ଼ିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହେବ । କନ୍ଧମାଳର ପ୍ରତି ପରିବାରକୁ ମୋର ଜୟ ଜଗନ୍ନାଥ ପହଞ୍ଚାଇ ଦେବେ’ ବୋଲି କହିଛନ୍ତି ମୋଦୀ ।