ଚ୍ୟାଲେଞ୍ଜ କରୁଛି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ, ନଚେତ ରାଜନୀତିରୁ ସନ୍ୟାସ ନେବି : ଭିକେ ପାଣ୍ଡିଆନ

ଭୁବନେଶ୍ୱର,୧୦/୦୫ : ନିର୍ବାଚନ ପୂର୍ବରୁ ଆଜି ବ୍ରଜରାଜନଗରରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍ । ସେଠାରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଛନ୍ତି, ମୁଁ ଆଜି ଏ ବ୍ରଜରାଜନଗର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ଆପଣଙ୍କର ଯଦି ସାହାସ ଅଛି ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ଦେଖିବା ଆପଣ କେତେ ସିଟ୍ ପାଉଛନ୍ତି । ଆପଣଙ୍କ ନିଜ ଦଳ ଆପଣଙ୍କ ଉପରେ ବିଶ୍ୱାସ କରୁନାହିଁ । ଲୋକମାନେ କେମିତି ଆପଣଙ୍କୁ ବିଶ୍ୱାସ କରିବେ । ମୋର ଚ୍ୟାଲେଞ୍ଜ ଆପଣଙ୍କୁ ଆମ ମୁଖ୍ୟମନ୍ତ୍ରୀ ଜୁନ ୯ରେ ୧୧.୩୦ରୁ ୧ ଭିତରେ ଶପଥ ଗ୍ରହଣ କରିବେ ଆଉ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଇପାରିଲେ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି । ଆପଣ ବି କୁହନ୍ତୁ ଆପଣଙ୍କ ସରକାର ଆସିବ ନହେଲେ ଆପଣ ସନ୍ୟାସ ନେବେ । ଆଜି ଫଇସଲା କରିବା । ଗୋଟେ ଏନଏଚ ଠିକ କରିପାରିଲେନି, ଗୋଟେ ପଞ୍ଚାୟତ ଜିତି ପାରିଲେନି, ୱାର୍ଡ ମେମ୍ବର ବି ଜିତି ପାରିଲେନି । ଡରିକି ଢେଙ୍କାନାଳରୁ ସମ୍ବଲପୁର ଆସିଗଲେ । ଆପଣଙ୍କର ସାହାସ କେମିତି ହେଲା ମୁଖ୍ୟମନ୍ତ୍ରୀଙ୍କୁ ଆଶାଳୀନ ଭାଷାରେ କଥା କହିବାକୁ ।